ଦେଶ ପାଳିବ 'ସମ୍ବିଧାନ ହତ୍ୟା ଦିବସ' । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରତିବର୍ଷ ଜୁନ ମାସ ୨୫ ତାରିଖକୁ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ତତ୍କାଳୀନ ଇନ୍ଦିରାଗାନ୍ଧୀ ସରକାର ସେହି ସମୟରେ ଏକ ଛତ୍ରବାଦୀ ଶାସନ କରିଥିବାରୁ 'ସମ୍ବିଧାନ ହତ୍ୟା ଦିବସ' ପାଳନ କରାଯିବ ବୋଲି ବିଜେପି କହିଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏହି ନିଷ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଜନତାଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ନେଇ ବିବାଦ ଘେରକୁ ଆସିଥିଲେ ଆଇରନ ଲେଡି । ନିକଟରେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନର ମିଳିତ ଗୃହକୁ ସମ୍ବୋଧିତ ବେଳେ ରାଷ୍ଟ୍ରପତି ମଧ୍ୟ ଏହି ପ୍ରସଙ୍ଗ ଦୋହରାଇଥିଲେ । ‘ଏମରଜେନ୍ସି ସମ୍ବିଧାନ ଉପରେ ସିଧା ଆକ୍ରମଣର ଏକ କଳା ଅଧ୍ୟାୟ’ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ Xରେ ଉଲ୍ଲେଖ କରିଛନ୍ତି, "ନିଜର ଏକଛତ୍ରବାଦୀ ଶାସନ କ
ରିବାକୁ ଯାଇ ଲୋକତନ୍ତ୍ରର ଗଳା ଚିପି ହତ୍ୟା କରାଯାଇଥିଲା। ଲକ୍ଷ ଲକ୍ଷ ଲୋକଙ୍କୁ ଅକାରଣରେ ଜେଲରେ ପୁରାଇ ଦିଆଯାଇଥିଲା । ଗଣମାଧ୍ୟମର ସ୍ବର ଚାପି ଦିଆଯାଇଥିଲା । ତେଣୁ ଏଦି ଦିନକୁ ଭାରତ ସରକାର ପ୍ରତିବର୍ଷ 'ସମ୍ବିଧାନ ହତ୍ୟା ଦିବସ' ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।" ସେପଟେ ଶାହଙ୍କ ଏହି ଟ୍ବିଟକୁ ରିଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି କଂଗ୍ରେସର ଦମନକାରୀ ପଦକ୍ଷେପକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି ।
'ସମ୍ବିଧାନ ହତ୍ୟା ଦିବସ' ଘୋଷଣା ପରେ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ Xରେ ଲେଖିଛନ୍ତି, "ନରେନ୍ଦ୍ର ମୋଦି ଜୀ, ଆପଣଙ୍କ ସରକାର ଗତ ୧୦ ବର୍ଷ ଧରି 'ସମ୍ବିଧାନ ହତ୍ୟା ଦିବସ' ହିଁ ପାଳନ କରି ଆସୁଛି । ଗରିବ ବ୍ୟକ୍ତି ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କ ଆତ୍ମସମ୍ମାନ କ୍ଷୁର୍ଣ୍ଣ କରାଯାଉଛି । ଆପଣଙ୍କ ମୁହଁରେ ସମ୍ବିଧାନ ଶବ୍ଦ ଶୋଭାପାଉନି ।" ସେପଟେ ଏହାକୁ ରି-ଟ୍ବିଟ୍ କରିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।