ଭୁବନେଶ୍ୱର: ASOଙ୍କୁ ମାଡମାରିଲେ ରାଜ୍ୟପାଳଙ୍କ ପୁଅ ! ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନାଥ ପ୍ରଧାନ ।
ଅତ୍ୟାଚାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ରାଜଭବନ କର୍ମଚାରୀ ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନ । ତାଙ୍କ ଅଭିଯୋଗ ମୁତାବକ, ଗତ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ସେ ପୁରୀ ରାଜଭବ
ଯାଇଥିଲେ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କାହିଁକି ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଇ ନଥିଲୁ କହି ସେମାନେ ଏଭଳି ମାଡ଼ ମାରିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।
ଏପରିକି ସେ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସୁଥିବା ବେଳେ ପୁଣି ତାଙ୍କୁ ଦୁଇ ଜଣ ପିଏସଓ ଟେକି ନେଇ ରୁମ୍ ନ୪ରେ ପୁରାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କର ପାଟି, ନାକ, ଗୋଡ଼ ଏବଂ ହାତରେ ଆଘାତ ଲାଗିଥିଲା । ତେବେ ଅତ୍ୟାଚାର ସୀମା ଟପିଥିଲା ଯେତେବେଳେ ଜବରଦସ୍ତ କରି ତାଙ୍କ ଜୋତାରେ ଛେପ ପକାଇ ଛେପକୁ ଚାଟିବାକୁ କହିଥିଲେ । ସେମାନଙ୍କ ଭୟରେ ତାହା ମଧ୍ୟ କରିଥିବା ଉଲ୍ଲେଖ କରିଛନ୍ତି ASO ।
ସେଠାରେ ଉପସ୍ଥିତ ଥିବା ରାଜ୍ୟପାଳଙ୍କ ପୁଅ ହିନ୍ଦିରେ ଏହାକୁ ମାରିଦେବା ଏବଂ ଏହାକୁ କୌଣସି ଅଫିସର ବଞ୍ଚାଇ ପାରିବେନାହିଁ କି ତାଙ୍କର କୌଣସି ପୋଲିସ କିଛି ବି କରିପାରିବ ନାହିଁ । ଏଭଳି ଅଭିଯୋଗ କରିବା ପରେ ସେ ଏବେ ଛୁଟି ନେଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କୁ ଜଣାଇଥିଲେ ମଧ୍ୟ ୧୧ ତାରିଖ ସୁଦ୍ଧା ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବାରୁ ସେ ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ମାମଲା ରୁଜୁ ହୋଇନାହିଁ । ଘଟଣାର ତଦନ୍ତ କରିବା ନେଇ ପୋଲିସ ପ୍ରତିଶ୍ରୁତି ଦେଇଥିଲା ।
ଅନ୍ୟପଟେ ଏନେଇ ଓଡ଼ିଶା ସଚିବାଳୟ ସେବା ସଂଘ ପକ୍ଷରୁ ମଧ୍ୟ ଏକ ବୈଠକ ହୋଇଛି । ଜଣେ କର୍ମଚାରୀଙ୍କ ଉପରେ ଏଭଳି ଅତ୍ୟାଚାର ଘଟଣାକୁ ନିନ୍ଦା କରିଛି ସଂଘ । ଏନେଇ ସେ କହିଛନ୍ତି," ଆମେ ସରକାରୀ କର୍ମଚାରୀଙ୍କ ପ୍ରତି ଏଭଳି ଅତ୍ୟାଚାର ନିନ୍ଦନୀୟ । ନୂଆ ସରକାର କେବେ ଅଫିସରଙ୍କୁ ନ୍ୟାୟ ଦେବେ ସେହି ଅପେକ୍ଷାରେ ରହିଛୁ ।" ଏନେଇ ରାଜଭବନ ପକ୍ଷରୁ ମଧ୍ୟ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ସୂଚନାଯୋଗ୍ୟ, ୧୩ବର୍ଷ ହେବ ଓଡ଼ିଶା ରାଜ୍ୟପାଳଙ୍କ ବାସଭବନ (ଭୁବନେଶ୍ବର)ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି ବୈକୁଣ୍ଠ ପ୍ରଧାନ ।