ପୁରୀ: ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ରଥ ଚାରମାଳ ଉପରେ ପଡ଼ିଯିବା ଘଟଣା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଅନଭିଜ୍ଞ ଯୁବ ସେବାୟତ ରଥରେ ଗହଳି କରି ମୋବାଇଲରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି । ଅନାବଶ୍ୟକ ଭିଡ଼ ଏଭଳି ଅଘଟଣର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି । ଏହାପରେ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତାରାତି ବଦଳି ହୋଇଛି । ସେପଟେ ଦାୟିତ୍ବ ନେଉ ନେଉ ଆକ୍ସନ ମୋଡ୍ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।
ବିଶେଷ କରି ରଥ ଉପରେ କିଭଳି ମୋବାଇଲ ଫୋନ ବ୍ୟବହାର ହେବ ନାହିଁ ଓ କେହି ସେଲଫି ନେଇପାରିବେ ନାହିଁ, ସେନେଇ ଆଲୋଚନା କରିବାକୁ କହିଛନ୍ତି ନୂ
ପ୍ରଶାସକ । ସେବା ସହ ଜଡ଼ିତ ନଥିଲେ ରଥ ଉପରକୁ କେହି ଯାଇପାରିବେନି ବୋଲି ମଧ୍ୟ ସେ କହିଛନ୍ତି । ପହଣ୍ଡି ବେଳେ ଘଟିଥିବା ଅଘଟଣ ପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ସହ ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହେବ, ତାହା ତାଙ୍କର ମୁଖ୍ୟ କାର୍ଯ୍ୟ ହେବ ବୋଲି ସେ କହିଛନ୍ତି ।
ସେପଟେ ଏହି ପହଣ୍ଡି ଅଘଟଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବୀର ବିକ୍ରମ ଯାଦବଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ନୂଆ ପ୍ରଶାସକ ଭାବରେ ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢୀଙ୍କୁ ଦାୟିତ୍ଵ ଦିଆଯାଇଛି । ଦାୟିତ୍ଵ ନେବା ପରେ ସେ ପ୍ରଥମେ ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିଛନ୍ତି । ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ମୋତେ ମହାପ୍ରଭୁଙ୍କ ସେବା ପାଇଁ ଦାୟିତ୍ବ ମିଳିଥିବାରୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ମହାପ୍ରଭୁଙ୍କ ନୀତି କିଭଳି ଭଲରେ ଅନୁଷ୍ଠିତ ହେବ ସେନେଇ ବିଭିନ୍ନ ସେବାୟତ ନିଯୋଗ, ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ପଦକ୍ଷେପ ନିଆଯିବ । ଏଥିପାଇଁ ମୁଁ ସମସ୍ତଙ୍କ ସହଯୋଗ ଲୋଡୁଛି । ମହାପ୍ରଭୁଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ, ତାହା ଆମର ମୁଖ୍ୟ କାର୍ଯ୍ୟ ହେବ ।" ତେବେ ନୀତି ବିଶୃଙ୍ଖଳା ହେଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିରର ନୂଆ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି । ରଥ ଉପରକୁ ସେବା ନଥିବା ସେବାୟତ କିଭଳି ନଯିବେ, ମୋବାଇଲ ଫୋନ ରଥ ଉପରକୁ କେହି ନନେବେ, ସେନେଇ ସବୁ ସେବାୟତ ନିଯୋଗ ସହ ସେ ଆଲୋଚନା କରିବେ ବୋଲି କହିଛନ୍ତି ।
ଆଡ଼ପ ମଣ୍ଡପ ବିଜେ ପହଣ୍ଡି ବେଳେ ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କୁ ଯେଭଳି ଦାୟିତ୍ଵହୀନ ଭାବେ ସେବାୟତ ପହଣ୍ଡି କାର୍ଯ୍ୟ କଲେ ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଭୁଲ କାର୍ଯ୍ୟ କରିଥିବା ସେବାୟତଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି ଜୋର ଧରିଛି । ତେବେ ରଥ ଉପରେ ପହଣ୍ଡି କାର୍ଯ୍ୟରେ ସେବା ନଥିବା ଅନେକ ସେବାୟତ ଅଯଥାରେ ଗହଳି ସୃଷ୍ଟି କରିବାରୁ ଏହି ଅଘଟଣ ହୋଇଥିବା କୁହାଯାଉଛି । ସେହିପରି ସେବାୟତମାନେ ମୋବାଇଲ ଫୋନ୍ ନେଇ ସେଲ୍ଫି ଉଠାଇବା, ରିଲ୍ସ କରିବା ଯୋଗୁଁ ମହାପ୍ରଭୁଙ୍କ ସେବାରେ ମନ ରହୁନଥିବା ଅଭିଯୋଗ ମଧ୍ୟ ଉଠିଛି । ତେବେ ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଥିବାବେଳେ କେବେ ଓ କାହା ବିରୋଧରେ କାର୍ଯ୍ୟନୁଷ୍ଠାନ ହେଉଛି ତାକୁ ଏବେ ଭକ୍ତଙ୍କ ଅପେକ୍ଷା ।